Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରତିଶ୍ରୁତି ରଖିଛନ୍ତି। ତାଙ୍କର ପ୍ରତିଶ୍ରୁତି ଅନୁସାରେ କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି। ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ମାନ୍ୟତା’ ନେଇ ସୂଚନା ଜାରି ହୋଇଛି। ଆଜି ରାଜ୍ୟସଭାରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ସୂଚନା ଦେଇଛନ୍ତି। ଓଡ଼ିଶାର ପ୍ରମୁଖ ଯାନିଯାତ୍ରାକୁ ଅଧିକ ଲୋକପ୍ରିୟ କରିବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ସମୟରେ ଏକାଧିକ ଥର ‘କଟକ ବାଲିଯାତ୍ରା’ର ନାମ ନେଇଛନ୍ତି। ଜାତୀୟ ବାଣିଜ୍ୟିକ ମେଳାରେ ସେ ବାଲିଯାତ୍ରାକୁ ପ୍ରଶଂସା ମଧ୍ୟ କରିଛନ୍ତି। ପୂର୍ବରୁ ସେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
୨୧ରୁ ମାଟ୍ରିକ ପରୀକ୍ଷା
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଚିଳିତ ମାସ ୨୧ରୁ ଆରମ୍ଭ ହେବ। ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ପାଇଁ ପ୍ରଶ୍ନପତ୍ରରେ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରାଯାଇଛି। ସମସ୍ତ ପ୍ରମୁଖ ବିଷୟର ପ୍ରଶ୍ନପତ୍ରରେ ଏହି ବନ୍ଦୋବସ୍ତ ହୋଇଥିବା ବେଳେ ପ୍ରଶ୍ନପତ୍ରର ସବୁ ପୃଷ୍ଠାରେ, ଏପରିକି ପ୍ରତି ପ୍ରଶ୍ନରେ ଏହି କ୍ୟୁଆର୍ କୋଡ୍ ରହିଛି। ଯଦି କୌଣସି ବ୍ୟକ୍ତି ମୋବାଇଲ୍ ବା ଅନ୍ୟ କୌଣସି ଉପକରଣ ସହାୟତାରେ ପ୍ରଶ୍ନପତ୍ରର ଫଟୋ ଉତ୍ତୋଳନ କରି ଭାଇରାଲ୍ କରିବାକୁ ଉଦ୍ୟମ କରନ୍ତି, ତେବେ ଏହା କେଉଁ ସେଣ୍ଟରରୁ ଆଉ କେଉଁ ପରୀକ୍ଷା ପ୍ରକୋଷ୍ଠରୁ ଭାଇରାଲ୍ କରାଯାଇଛି, ତାହା ସହଜରେ ଜାଣି ହେବ। ପ୍ରଶ୍ନପତ୍ରଟି ଏଭଳି ପ୍ରସ୍ତୁତି ହୋଇଛି ଯେ, କ୍ୟୁଆର୍ କୋଡ୍କୁ ଲିଭାଇବାକୁ ଚେଷ୍ଟା କଲେ, ପ୍ରଶ୍ନ ଲିଭିଯିବ। ବୋର୍ଡ ପକ୍ଷରୁ ପ୍ରଥମ ଥର ପାଇଁ ପ୍ରଶ୍ନପତ୍ରରେ ଏଭଳି ସୁରକ୍ଷା ବ୍ୟବସ୍ଥା ହୋଇଛି।
ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ
ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ଆସନ୍ତା ୧୩ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ସମେତ ବିଧାନସଭାରେ ଆଗତ ହେବାକୁ ଥିବା ବିଭିନ୍ନ ବିଲକୁ କ୍ୟାବିନେଟରେ ଉପସ୍ଥାପନ କରାଯାଇପାରେ । କ୍ୟାବିନେଟ ବୈଠକ ସରିଲା ପରେ ମନ୍ତ୍ରୀ ପରିଷଦ ବୈଠକ ବସିବା ନେଇ ମଧ୍ୟ କାର୍ୟ୍ୟକ୍ରମ ରହିଛି ।
ଆଜି ଭୁବନେଶ୍ବରରେ ନିଯୁକ୍ତି ମେଳା
ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏହି କ୍ରମରେ ଭୁବନେଶ୍ବର ୟୁନିଟ-୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଆଜି ଆୟୋଜିତ ହେଉଛି ନିଯୁକ୍ତି ମେଳା । ଏହି ନିଯୁକ୍ତି ମେଳା ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ୍ ୨୭୬୭ ଜଣଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତିପତ୍ର ପ୍ରଦାନ କରିବେ।
ମଧ୍ୟପ୍ରଦେଶରେ ବିମାନ ଦୁର୍ଘଟଣା
ଭାରତରେ ଘଟିଛି ବିମାନ ଦୁର୍ଘଟଣା । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ବାୟୁସେନାର ଯୁଦ୍ଧ ବିମାନ ‘ମିରାଜ-୨୦୦୦’ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଦୁର୍ଘଟଣା ପୂର୍ବରୁ ଦୁଇ ପାଇଲଟ୍ ସୁରକ୍ଷିତ ଭାବରେ ବାହାରି ଆସିଥିଲେ । ଏଥିରେ ଉଭୟ ସାମାନ୍ୟ ଆହତ ହୋଇଛନ୍ତି । ଜଣେ ପାଇଲଟ୍ କଲ୍ କରି ସାଥୀମାନଙ୍କୁ ଦୁର୍ଘଟଣା ସମ୍ପର୍କରେ ଜଣାଇଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନ ଏକ ଟିମକୁ ଘଟଣାସ୍ଥଳକୁ ପଠାଇଛି । ଶିବପୁରୀର ବହରେଟା ସାନୀ ଗାଁ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଆଜି ଆସିବେ ଭାରତ-ଇଂଲଣ୍ଡ ଦଳ
ଆଜି ଶୁକ୍ରବାର ସନ୍ଧ୍ୟା ସାଢେ ୭ଟା ସମୟରେ ଉଭୟ ଭାରତ ଓ ଇଂଲଣ୍ଡ ଦଳ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ ତାଙ୍କୁ ହୋଟେଲକୁ ନିଆଯିବ। ହୋଟେଲ ମେ ଫେୟାରରେ ଖେଳାଳି, କୋଚ ଏବଂ ମ୍ୟାଚ ଅଫିସିଆଲମାନଙ୍କର ରହିବାର ବ୍ୟବସ୍ଥା ହୋଇଛି। ବିମାନବନ୍ଦରରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ। ଆସନ୍ତା ୮ ତାରିଖରେ ବାରବାଟୀରେ ଅଭ୍ୟାସ କରିବେ।
ସମବାୟ ବ୍ୟାଙ୍କରେ ଲାଗୁ ହେବ ଓଟିଏସ୍ ବ୍ୟବସ୍ଥା
ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ । ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛି । ଏହା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସହରାଞ୍ଚଳ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିରେ କାର୍ଯ୍ୟକାରୀ ହେବ । ଫଳରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିର ମୋଟ ଅନାଦେୟ ଋଣ (ଏନପିଏ) ବୋଝ ହ୍ରାସ ପାଇବ । ଏହାଦ୍ୱାରା ସେମାନଙ୍କ ସମ୍ପତ୍ତିର ଗୁଣବତ୍ତା ବୃଦ୍ଧି ପାଇବ । ସମବାୟ ବ୍ୟାଙ୍କଗୁଡ଼ିକର ଦୀର୍ଘ ଦିନର ଦାବିକୁ ଏହି ପଦକ୍ଷେପ ଦ୍ୱାରା ସମାଧାନ କରାଯାଇଛି । ଏହି ମଡେଲ ଯୋଜନା ଦ୍ଵାରା ବ୍ୟାଙ୍କଗୁଡ଼ିକ ସେମାନଙ୍କର ଆର୍ଥିକ ଆବଶ୍ୟକତା ଅନୁଯାୟୀ ପରିଚାଳନା କମିଟିର ଅନୁମୋଦନ କ୍ରମେ ସହ ବଦଳାଇ କାର୍ଯ୍ୟକାରୀ କରିପାରିବେ ।
୧୭ ବର୍ଷରେ ୧୫୬୮୧ ଜଣ ଭାରତୀୟଙ୍କୁ ଫେରାଇଛି ଆମେରିକା
୧୭ ବର୍ଷରେ ୧୫୬୮୧ ଜଣ ଭାରତୀୟଙ୍କୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବାରୁ ପ୍ରତ୍ୟାର୍ପଣ କରିଛି ଯୁକ୍ତରାଷ୍ଟ୍ର ଆମେରିକା। ୨୦୧୨ ମସିହା ପରଠାରୁ ସେନାବାହିନୀର ବିମାନରେ ସେମାନଙ୍କୁ ପ୍ରତ୍ୟାର୍ପଣ କରାଯାଉଥିବା ଉଲ୍ଲେଖ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାରତୀୟ ନାଗରିକଙ୍କ ଉପରେ ଦୁର୍ବ୍ୟବହାର ନକରିବାକୁ ଆମେରିକା ସରକାରଙ୍କୁ ସୂଚନା ଦେଇଛନ୍ତି। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏହି ସୂଚନା ରଖିଛନ୍ତି।
ବଢିବ ତାପମାତ୍ରା
ଶୁକ୍ରବାରଠୁ କମିବ ରାତିର ତାପମାତ୍ରା। ପରବର୍ତ୍ତୀ ୩ ଦିନ ଯାଏ ପାରଦ ୨ରୁ ୪ ଡିଗ୍ରୀ କମିବାର ସମ୍ଭାବନା ରହିଛି। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ବର। ରାଜ୍ୟରେ ଦୁଇଦିନ ପରେ ଦିନର ତାପମାତ୍ରା ମଧ୍ୟ ସାମାନ୍ୟ କମିବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୮ ତାରିଖରୁ କୁହୁଡ଼ି ପ୍ରଭାବ କମିବ। ରାଜ୍ୟରେ ବର୍ତ୍ତମାନ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି। ପ୍ରାୟତଃ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଗୁରୁବାର ୪ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିଲା । ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ, ମାଲକାନଗିରିରେ ୩୫, ଝାରସୁଗୁଡ଼ାରେ ୩୫, ଅନୁଗୁଳରେ ୩୫.୧ ଡିଗ୍ରୀ ଥିଲା । ବରଗଡ଼ ତାପମାତ୍ରା ୩୪.୫, ସମ୍ବଲପୁର ୩୪, ସୁନ୍ଦରଗଡ଼ ୩୪, ବଲାଙ୍ଗୀର ୩୩.୯ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ରାତି ତାପମାତ୍ରା ଉପକୂଳ ଓଡ଼ିଶାରେ ୨୨ରୁ ୨୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ୧୮ରୁ ୨୦ ଡିଗ୍ରୀ ପାଖାପାଖି ଅଛି ରାତିର ତାପମାତ୍ରା ।
ପ୍ରଥମ ମ୍ୟାଚ ଜିତିଲା ଭାରତ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ଇଂଲଣ୍ଡ ଦଳ ଦ୍ୱାରା ଦିଆଯାଇଥିବା ୨୪୯ ରନର ଟାର୍ଗେଟକୁ ୩୮.୪ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଶୁବମନ ଗିଲ ସର୍ବାଧିକ ୮୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ।