Top 10 News Today: ମୋଦୀ ଏନ୍‍ଡିଏର ନେତା ନିର୍ବାଚିତ, ରାଷ୍ଟ୍ରପତିଙ୍କୁ ସରକାର ଗଠନ ପାଇଁ ଦାବିପତ୍ର ଏବଂ ଅନ୍ୟନ୍ୟ ଖବର
Advertisement
Article Detail0/zeeodisha/odisha2283282

Top 10 News Today: ମୋଦୀ ଏନ୍‍ଡିଏର ନେତା ନିର୍ବାଚିତ, ରାଷ୍ଟ୍ରପତିଙ୍କୁ ସରକାର ଗଠନ ପାଇଁ ଦାବିପତ୍ର ଏବଂ ଅନ୍ୟନ୍ୟ ଖବର

Top 10 Afternoon Headlines from 7th June 2024: ଓଡ଼ିଶାରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ରୀୟ କମିଟିର ପ୍ରସ୍ତାବ ଅନୁସାରେ ପ୍ରସ୍ତାବିତ ନାମକୁ ବିଧାୟକ ଦଳରେ ଆଲୋଚନା କରାଯିବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

 

Top 10 Afternoon Headlines from 7th June 2024
H1. ନରେନ୍ଦ୍ର ମୋଦୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବାକୁ ଏକମତ ହୋଇଛନ୍ତି ଏନ୍‍ଡିଏ। ଆଜି ସମ୍ବିଧାନ ଭବନର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ଏକ ବୈଠକରେ ଏନ୍‍ଡିଏ ମେଣ୍ଟର ସମସ୍ତ ନେତାଙ୍କ ସହ ବିଜେପିର ସାଂସଦମାନେ ଯୋଗ ଦେଇଥିଲେ। ସେମାନେ ଦେଶକୁ ବିକାଶ ରାସ୍ତାରେ ଆଗକୁ ନେବା ଲାଗି ମୋଦୀଙ୍କ ନେତୃତ୍ୱକୁ ସ୍ୱୀକାର କରିଥିଲେ।  ଏଥିଲାଗି ପ୍ରଥମେ ରାଜନାଥ ସିଂହ ପ୍ରସ୍ତାବ ରଖିଥିଲେ। ପରେ ନିତିନ ଗଡ଼କରି ଏବଂ ଅମିତ ଶାହ ତାକୁ ସମର୍ଥନ କରିଥିଲେ।  ଏହା ସହ ଆଜି ସନ୍ଧ୍ୟାରେ ସମସ୍ତେ ମିଶି ରାଷ୍ଟ୍ରପତିଙ୍କୁ ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ ସରକାର ଗଢ଼ିବା ଲାଗି ଦାବି ଉପସ୍ଥାପନ କରିବେ। ମିଳିଥିବା ସୂଚନା ଅନୁସାରେ ୯ ତାରିଖ  ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟଥର ପାଇଁ ଶପଥ ନେବେ। 
 
H2. ଆଜି ସମ୍ବିଧାନ ଭବନରେ ଶ୍ରୀ ମୋଦୀ ଶ୍ରୀ ଜଗନ୍ନାଥଙ୍କ ସୁମରଣା କରି ଗରିବଙ୍କ ଦେବତା ବୋଲି ଉଲ୍ଲେଖ କରିଛନ୍ତି। ଏହାସହ ସରକାର ଚଳାଇବା ପାଇଁ ବହୁମତ ଆବଶ୍ୟକ ହୋଇଥାଏ କିନ୍ତୁ ଦେଶ ଚଳାଇବାକୁ ସର୍ବମତ ଆବଶ୍ୟକ ବୋଲି କହିଛନ୍ତି। ଏଥିଲାଗି ଦେଶର ବିକାଶ ପାଇଁ ସର୍ବମତ ଆବଶ୍ୟକ ବୋଲି ସେ କହିଥିଲେ। 
 
H3. ଓଡ଼ିଶାରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ରୀୟ କମିଟିର ପ୍ରସ୍ତାବ ଅନୁସାରେ ପ୍ରସ୍ତାବିତ ନାମକୁ ବିଧାୟକ ଦଳରେ ଆଲୋଚନା କରାଯିବ। ଆସନ୍ତା କାଲି ଏଥିଲାଗି ସମୟ ନିର୍ଦ୍ଧାରଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ପରେ ଶପଥଗ୍ରହଣ ପାଇଁ ନିମନ୍ତ୍ରଣ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। 
 
H4. ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୀମିତ ସମୟ ପାଇଁ ସର୍ତ୍ତମୂଳକ ଜାମିନ ମିଳିଛି। ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‍ଙ୍କ ନିର୍ଦ୍ଦେଶ ଅନୁସାରେ  ୯ ତାରିଖରୁ ତିନିଦିନ ପାଇଁ ସେ ଜାମିନରେ ରହିବେ। ଶପଥ ଗ୍ରହଣ, ସ୍ୱାସ୍ଥ୍ୟାବସ୍ଥା ଓ ଦଶାହ କ୍ରିୟାରେ ଯୋଗଦାନ ପାଇଁ ତାଙ୍କ ଜାମିନ ଆବେଦନ ହୋଇଥିଲା।  ୧୨ରେ ସେ ଜେଲ ଫେରିବେ। 
 
H5. ବଢ଼ୁଥିବା ଖାଦ୍ୟ ମୂଦ୍ରାସ୍ଫିତୀକୁ ଆଖିଆଗରେ ରଖି ଭାରତର ରିଜର୍ଭ ବ୍ୟାଙ୍କ ରେପୋରେଟ୍‍କୁ ଅପରିବର୍ତ୍ତିତ ରଖିଛନ୍ତି। ୬.୫ ହାରରେ ରେପୋରେଟ୍‍ ରହିବ। ଅପରପକ୍ଷେ ଭାରତର ବିକାଶ ହାର ଜିଡିପିକୁ ରିଜର୍ଭ ବ୍ୟାଙ୍କ୍‍ ୭.୨ ପ୍ରତିଶତ ରହିବ ବୋଲି ଆକଳନ କରିଛନ୍ତି। ପୂର୍ବରୁ ଏହା ୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା। 
 
H6. ଆଜି ଶେୟାର ବଜାରରେ ତ୍ୱରିତ ବୃଦ୍ଧି ଦେଖିବାକୁ ମିଳିଛି। ରିଜର୍ଭ ବ୍ୟାଙ୍କ ଭାରତର ବିକାଶ ହାରକୁ ବୃଦ୍ଧି ସମ୍ଭାବନା ବ୍ୟକ୍ତ କରିବାରୁ ଏହି ବୃଦ୍ଧି ହୋଇଥିବା କୁହାଯାଉଛି। ବିଏସ୍‍ଇରେ ୧୭୨୦.୮ ପଏଣ୍ଟ ବୃଦ୍ଧି ହୋଇଥିବାବେଳେ ଏନ୍‍ଏସ୍‍ଇ ୪୯୮.୮ ପଏଣ୍ଟ ଅଭିବୃଦ୍ଧି ରେକର୍ଡ କରିଛି। 
 
H7. ବର୍ଷା ଋତୁକୁ ଆଖିରେ ରଖି ପ୍ରତିବର୍ଷ ପରି ଏବର୍ଷ ଶିମିଳିପାଳକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ।  ଜୁନ ୧୨ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ କୌଣସି ପର୍ଯ୍ୟଟକ ପ୍ରବେଶ କରିପାରିବେ ନାହିଁ।  ଏନେଇ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି ନୋଟିସ ଜାରି କରାଯାଇଛି। କିନ୍ତୁ  ଅଭୟାରଣ୍ୟ ମଧ୍ୟରେ ଥିବା କୁଁମାରୀ, ଜାମୁଆଣି, ଗୁରୁ ଗୁଡ଼ିଆ ଏବଂ ରାମତୀର୍ଥ ଇକୋ ଟୁରିଜିମ୍ ସ୍ଥାନଗୁଡ଼ିକ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
 
H8. ଗୁରୁବାର ସଂସଦ ଭବନକୁ ଜାଲ ଆଧାର କାର୍ଡ ଦେଖାଇ ପ୍ରବେଶ କରିବା ବେଳେ ୩ ଯୁବକଙ୍କୁ ଗିରଫ କରିଛି ସିଆଇଏସଏଫ୍। ଆଧାର କାର୍ଡରେ ୩ଜଣଙ୍କ ଭିନ୍ନ ଫଟୋ ଥିବା ଜଣାପଡିବା ପରେ ସେମାନଙ୍କୁ ପଚରାଉଚରା କରାଯାଇଥିଲା । ଏହା ପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ତନାଘନା କରାଯାଉଛି। ଏହି ୩ଜଣ ଅଭିଯୁକ୍ତଙ୍କ ନାଁ କାଶିମ, ମୋନିସ ଏବଂ ସୋଏବ ବୋଲି ସୂଚନା ମିଳିଛି ।
 
H9. ଆଜିଠାରୁ  ଯୁକ୍ତଦୁଇ ନାମଲେଖା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ www.samsodisha.gov.in ଜରିଆରେ ଆବେଦନ କରିପାରିବେ। ମୋଟ ୨ହଜାର ୨୨୧ ଉଚ୍ଚମାଧ୍ୟମିକ ସ୍କୁଲ୍‍ରେ  ନାମ ଲେଖାଇପାରିବେ ଛାତ୍ରଛାତ୍ରୀ। ଏଥିପାଇଁ କଳାରେ ୨ଲକ୍ଷ ୯୪ହଜାର ୮୪୦, ବିଜ୍ଞାନରେ ଲକ୍ଷେ ୬୬ ହଜାର ୯୨୯, ବାଣିଜ୍ୟରେ ୪୦ହଜାର ୧୦୪ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪ ସିଟ୍ ଉପଲବ୍ଧ ରହିଛି। ଜୁଲାଇ ୬ ତାରିଖ ରହିଛି ଆବେଦନର ଶେଷ ତାରିଖ। ଜୁଲାଇ ୧୮ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା। ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୩ ତାରିଖ ଭିତରେ ନାଁ ଲେଖାଇବେ।
 
H10. ରାଜ୍ୟ କଂଗ୍ରେସ ମାନସ ଚୌଧୁରୀଙ୍କୁ ଦଳରୁ ବହିଷ୍କାର କରିଛି। ତାଙ୍କର ବିଶୃଙ୍ଖଳିତ ଆଚରଣ ଏବଂ ଦଳ ବିରୋଧି କାର୍ଯ୍ୟପାଇଁ ଦଳ ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛି। ଏଆଇସିସିର ଅନୁମୋଦରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।